କିପରି ଜାଣିବି ?
17 ଜୁଲାଇ 2017
ଶେୟାର କରନ୍ତୁ :
ନୟାଗଡ ସହରରୁ ଭୁବନେଶ୍ବର ଯିବା ବାଟରେ ଡାହାଣକୁ କିଛି କିଲୋମିଟର ଚାଲିଗଲେ ପଡେ ଖୁଣ୍ଟୁବନ୍ଧ। ସେଇଠି ରହିଛି ସରକାରଙ୍କର ନୂଆ ଆଇଟିଆଇଟିଏ। ଯଦିଓ ଆଇଟିଆଇଟି ଏପର୍ଯ୍ୟନ୍ତ ବିଧିବଦ୍ଧ ଭାବରେ ଆରମ୍ଭ ହୋଇନାହିଁ, ଓଡିଶା ନିଯୁକ୍ତି ମିଶନ ତରଫରୁ ଆଇଏଲ୍ଏଫ୍ଏସ୍ ସଂସ୍ଥା ମାଧ୍ୟମରେ ସେଠାରେ ଦୁଇଟି ଅଢେଇ ମାସିଆ ଦକ୍ଷତା ତାଲିମ ଚାଲିଛି। ରହଣି ଏବଂ ଆନୁସଙ୍ଗିକ ଖର୍ଚ୍ଚ ସରକାରଙ୍କର। ସେଠାରେ ଦୁଇଟି ବିଭାଗରେ ଟ୍ରେନିଙ୍ଗ୍ ଚାଲିଛି। ହସ୍ପିଟାଲିଟି ଏବଂ ଇଲେକ୍ଟ୍ରିକାଲ୍। ଗତ ସପ୍ତାହରେ ଜିଲ୍ଲା ଅଧିକାରୀଙ୍କ ସହିତ ମୁଁ ସେଠିକୁ ପରିଦର୍ଶନରେ ଯାଇଥିଲି। ଶୁଣି ଖୁସି ଲାଗିଲା ଯେ ପିଲାମାନେ ବିଶ୍ବବିଜୟୀ ସ୍ତମ୍ଭ ପଢୁଛନ୍ତି ଏବଂ ତା’ନେଇ ପ୍ରତି ସପ୍ତାହରେ ନିୟମିତ ଆଲୋଚନା କରୁଛନ୍ତି। ଆହୁରି ଖୁସି ଲାଗିଲା ଯେ ଟ୍ରେନିଙ୍ଗ୍ପ୍ରାପ୍ତ ଯୁବକମାନଙ୍କୁ ଚାକିରି ଦେବା ପାଇଁ ରାଜ୍ୟର ଓ ରାଜ୍ୟ ବାହାରର ବିଭିନ୍ନ ସଂସ୍ଥା ଆଗ୍ରହୀ ହେଲେଣି। ପିଲାମାନଙ୍କ ସହିତ କଥାବାର୍ତ୍ତା କରିବା ବେଳେ ଜଣେ ଛାତ୍ର ସୌମ୍ୟବ୍ରତ ଡାକୁଆ କହିଲେ ଯେ ଟ୍ରେନିଙ୍ଗ୍ ପରେ ସେ ଚାକିରି ନ କରି ନିଜ ବ୍ୟବସାୟ କରିବେ। କାରଣ? ମୋ ପ୍ରଶ୍ନର ଉତ୍ତରରେ ସେ କହିଲେ ଯେ ବ୍ୟବସାୟ କଲେ ନିଜ ଗୋଡରେ ଠିଆ ହୋଇ ପାରିବେ। ଗାଁ ପାଖରେ ରହି ନିଜ ଅଞ୍ଚଳର ଅର୍ଥନୀତିକୁ ଆଉ ଟିକିଏ ଆଗେଇ ନେଇପାରିବେ। ଯୁବକଙ୍କ ଆତ୍ମପ୍ରତ୍ୟୟ ଦେଖି ମୁଁ ମୁଗ୍ଧ ହେଲି।
ଆଜିକାଲି ଦକ୍ଷତା ଗ୍ରହଣ କରିବା ପରେ ଦେଶରେ ବେଶ୍ କେତେ ଜଣ ଆତ୍ମଜୀବି ପନ୍ଥାକୁ ନିଜର କରୁଛନ୍ତି। ପ୍ରଶ୍ନ ଉଠୁଛି, ଜଣେ ଯେ ସୂଚାରୁ ରୂପେ ବ୍ୟବସାୟଟିଏ ଚଲେଇ ପାରିବ, ତା’ର ଲକ୍ଷଣ କ’ଣ? ବ୍ୟବସାୟ ଓ ଉଦ୍ୟୋଗର ଲକ୍ଷଣ ଜଣେ ଯଦି ଯୁବାବସ୍ଥାରେ ଜାଣି ନ ପାରେ, ତେବେ ସେ ସେହି ପଥରେ ଆଗେଇ ଯିବା ପାଇଁ ଭରସା କରିପାରେ ନାହିଁ।
ଅନ୍ୟାନ୍ୟ କ୍ଷେତ୍ର ଅପେକ୍ଷା ବ୍ୟବସାୟରେ ଆତ୍ମପ୍ରତ୍ୟୟର ବହୁତ ଆବଶ୍ୟକତା। ନହେଲେ ବ୍ୟବସାୟର ଲାଭକ୍ଷତି ଓ ଉପରତଳର ମୁଖାମୁଖି ହେବା ସହଜ ନୁହଁ। ନୂଆ ବ୍ୟବସାୟରେ କଠିନ ପରିସ୍ଥିତିର ସମ୍ଭାବନା ଅଧିକ। ଏଥିପାଇଁ ବୁଦ୍ଧି ଓ ସାଧନର ତ ଆବଶ୍ୟକତା ରହିଛି, କିନ୍ତୁ ତା’ଠାରୁ ଅଧିକ ଜରୁରୀ ଆତ୍ମପ୍ରତ୍ୟୟ। ହେଲେ ଆତ୍ମପ୍ରତ୍ୟୟ ଅଛି କି ନାହିଁ ଜଣା ପଡିବ କେମିତି? ମୋର ମନେ ହୁଏ, ନିଜ ଜୀବନର ପିଲାଦିନ ଓ ଯୁବାବସ୍ଥାକୁ ଅନୁଧ୍ୟାନ କଲେ ଏହା ଠିକ୍ ଜଣାପଡିଯାଏ। ମୋ ପିଲାଦିନର ଉଦାହରଣଟିଏ ଦେଉଛି। ଛଅ ବର୍ଷ ବୟସରେ ଥରେ ମୁଁ ମାମୁଘର ଯାଇଥିଲି। ଦଶହରା ସମୟ। ଘର ସାମ୍ନାରେ ମେଢଟିଏ ହୋଇଥିଲା ଏବଂ ସେଠି ମୋଠୁଁ ଅଳ୍ପ ବଡ ପିଲାଟିଏ ବେଲୁନ ବିକ୍ରି କରୁଥିଲା। ଗରାଖ ଅଧିକ ହେବାରୁ ସେ ମୋତେ ଡାକିଲା ଏବଂ ବେଲୁନ ବିକ୍ରିରେ ତାକୁ ସାହାଯ୍ୟ କରିବାକୁ କହିଲା। ଅଚିହ୍ନା ପିଲାଟି ସହିତ ମୁଁ ମିଶିଗଲି। ଦିନ ଶେଷରେ କିଛି ରୋଜଗାର ବି ହେଲା। ଘରକୁ ଫେରିବା ପରେ ପକେଟରେ ରେଜା ପଇସା ଦେଖି ଯେଉଁ ପଚାରଉଚୁରା ହେଲା, ତନାଘନା ହେଲା - ସେ ଆଲୋଚନା ଆଉ କରୁନାହିଁ।
କିନ୍ତୁ ଏବେ ମୁଁ ମନେ କରେ ଯେ ଏହି ଘଟଣା ମୋର ପରବର୍ତ୍ତୀ ଉଦ୍ୟୋଗୀ ଭବିଷ୍ୟତର ପ୍ରଥମ ଓ ଅନନ୍ୟ ଲକ୍ଷଣ। ଗୋଟିଏ ଅଚିହ୍ନା ପିଲା ସହିତ ମିଶି ବେଲୁନ ବିକିବା, ଅନ୍ୟ ଆଡେ ମନ ନ ଦେଇ ଏକାଗ୍ରତା ଓ ନିଷ୍ଠା ସହିତ କାମଟି କରିବା, ଗ୍ରାହକ ଚିହ୍ନଟ କରି ପଇସା ହିସାବ, ଦିଆନିଆ କରିବା- ଏଗୁଡିକ ବଡ ବଡ ବ୍ୟବସାୟିକ ସଂସ୍ଥାର ମୌଳିକ ଚାହିଦା। ଏ ଗୁଣଗୁଡିକ ଏମ୍ବିଏ ଡିଗ୍ରୀରୁ ନୁହଁ, ଚେଷ୍ଟା ଓ ଅଧ୍ୟବସାୟରୁ ହିଁ ପ୍ରାପ୍ତ ହୋଇଥାଏ।
ମୋର ବେଲୁନ ବିକ୍ରିର ଅଭିଜ୍ଞତା ପରବର୍ତ୍ତୀ ଜୀବନରେ କିଭଳି ପ୍ରଭାବ ପକାଇଥିଲା, ତାହା ମୁଁ ଏବେ ଚିନ୍ତା କରିପାରୁଛି। ଏହା ମୋର ଆତ୍ମପ୍ରତ୍ୟୟକୁ ବହୁମାତ୍ରାରେ ବଢେଇ ଦେଇପାରିଥିଲା। ସ୍କୁଲରେ ପଢିବା ବେଳେ ସବୁରକମର ପ୍ରତିଯୋଗୀତାରେ ମୁଁ ଭାଗ ନେଉଥିଲି। ସବୁଥିରେ ଯେ ଭଲ କରିପାରୁଥିଲି, ତା’ ନୁହଁ। କିନ୍ତୁ ଚେଷ୍ଟା କରୁଥିଲି। ପରିଣାମକୁ ଭୟ ନ ଥିଲା। ଉଦାହରଣଟିଏ ଦେଉଛି। ଥରେ ସ୍କୁଲର ବାର୍ଷିକ ଉତ୍ସବରେ ଗୀତ ଗାଇବା ପାଇଁ ଅଡିସନ୍ ହେଲା। ମୁଁ ବି ଯାଇ ସେଠି ପହଞ୍ଚିଗଲି। ପଦଟିଏ ଗାଇବାର ଅପଚେଷ୍ଟା ପରେ ତଡା ଖାଇଲି ସେଠୁ। କାରଣ ଠିକ୍ ସ୍ବରରେ ଗାଇବା ଦୂରର କଥା, ତାଳ ଲୟ ସମ୍ପର୍କରେ ବି ମୋର କୌଣସି ଜ୍ଞାନ ନ ଥିଲା। ମୁଁ ମନଖରାପ ନ କରି ପହଞ୍ଚିଗଲି ଖେଳ ପଡିଆରେ। ମୋର ପିଲାଦିନେ ଶ୍ବାସ ରୋଗ ଥିଲା। ଅଳ୍ପ ଦୌଡାଦୌଡି କଲେ ମୁଁ ଅଣନିଶ୍ବାସୀ ହୋଇଯାଉଥିଲି। ତଥାପି ଫୁଟ୍ବଲ, ହକି ଖେଳିବା ପାଇଁ ବଛା ହେବାର ସମ୍ଭାବନାକୁ ମୁଁ ଆଦୌ ହାତଛଡା କରୁ ନ ଥିଲି। ସ୍କୁଲ ପରେ କଲେଜ ଏବଂ ସେଠି ବହୁ ରକମର ଛୋଟ ବଡ ଘଟଣା। ଏବେ ମନେ ହୁଏ, ପିଲାବେଳର, କଲେଜ ଅବସ୍ଥାର ବିଭିନ୍ନ ଘଟଣା ଥିଲା ଭବିଷ୍ୟତର ଗୋଟିଏ ବିରାଟ ଇଙ୍ଗିତ। ଉଦ୍ୟୋଗୀ ହେବା ପାଇଁ, ନିଜର ସଂସ୍ଥାଟିଏ କରିବା ପାଇଁ ଯେଉଁ କେତୋଟି ଲକ୍ଷଣ ରହିବା ଦରକାର, ତାହା ମୋ ଅଜାଣତରେ ମୋ ଭିତରେ ରହିଥିଲା।
ଆଉ ଗୋଟିଏ ଜିନିଷ ହେଉଛି, ଯେଉଁମାନେ, ଠିକ୍ ହେଉ ବା ଭୁଲ, ନିଜ ଜୀବନର ବଡ ବଡ ନିଷ୍ପତ୍ତି ନିଜେ ନେଇପାରନ୍ତି, ସେମାନଙ୍କ ଦ୍ବାରା ବ୍ୟବସାୟ ଭଲରେ ହୋଇପାରିବାର ସମ୍ଭାବନା ଅଧିକ। ସେମାନେ ଏସବୁ ନିଷ୍ପତ୍ତି ପାଇଁ ବହୁ ଲୋକଙ୍କର ମତାମତ ଲୋଡନ୍ତି ନାହିଁ କି କିଏ କ’ଣ କହିବ, ସେକଥା ଭାବି ବିବ୍ରତ ହୁଅନ୍ତି ନାହିଁ। ବ୍ୟବସାୟ ପାଇଁ ଆଉ ଗୋଟିଏ ମହତ ଗୁଣ ହେଲା ଧୀର ଓ ସ୍ଥିତପ୍ରଜ୍ଞ ସ୍ବଭାବ। ଅଳ୍ପକେ ବିଚଳିତ ନ ହୋଇ ସମସ୍ୟାର ସମାଧାନ କରିବା ଏକ ବିଶେଷ ଉତ୍କର୍ଷତା।
ଏସବୁ ବ୍ୟତୀତ ଆହୁରି କେତୋଟି ବିଶେଷ ଚିହ୍ନ ରହିଛି, ଯାହାକି ବ୍ୟବସାୟିକ ସଫଳତାର ସଙ୍କେତ ବୋଲି ଧରା ଯାଇପାରିବ। ସେସବୁ ନେଇ ଆର ଥର ଆଲୋଚନା କରିବା।